ଭୁବନେଶ୍ୱର: ଜାତୀୟ ସ୍ତରରେ ପରୀକ୍ଷା ଅନିୟମିତତା ଏବଂ ବିଶେଷକରି NEET ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି ଚାଲିଥିବା ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଓଡ଼ିଶାର ରାଜନୈତିକ ମହଳରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ତାଙ୍କର ଉଚ୍ଚ ନୈତିକ ମୂଲ୍ୟବୋଧର ପରିଚୟ ବୋଲି ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି ଯେ, ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ପଦବୀରୁ ଇସ୍ତଫା ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ନିଷ୍ପତ୍ତି ତାଙ୍କ ଉଚ୍ଚ ନୀତିଆଦର୍ଶର ପରିଚାୟକ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷା ନୀତି–୨୦୨୦ (NEP 2020) ଭଳି ଐତିହାସିକ ନୀତିକୁ କାର୍ଯ୍ୟକାରୀ କରିବା ସହ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି।ନିଜ ବାର୍ତ୍ତାରେ ସେ ଆହୁରି ଲେଖିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗାମୀ ଦିନରେ ତାଙ୍କର ଏହି କର୍ମମୟ ଯାତ୍ରା ଆହୁରି ଅଧିକ ସଫଳତା ଓ ପ୍ରତିଷ୍ଠା ଆଣିଦେବ ବୋଲି ଆମେ ସମସ୍ତେ ଦୃଢ଼ ବିଶ୍ୱାସୀ।”
