କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆସନ୍ତା ୪ତାରିଖରେ ଦୁଇଦିନିଆ ପଶ୍ଚିମଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ୪ତାରିଖରେ ବରଗଡ଼ରେ ଇଥାନଲ୍ ରିଫାଇନାରୀର ଉଦଘାଟନ କରିବା ସହ ୫ତାରିଖରେ ସମ୍ବଲପୁରରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ସୋମବାର ବରଗଡ଼ ସାଂସଦ ଶ୍ରୀ ପୁରୋହିତ ସୂଚନା ଦେଇ କହିଛନ୍ତି ଯେ, ଜୁଲାଇ ୪ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ। ସେଠାରୁ ସିଧାସଳଖ ବରଗଡ଼ ଯାଇ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ନିର୍ମିତ ଏକ ବୃହତ୍ ଇଥାନଲ୍ ରିଫାଇନାରୀ ପ୍ରକଳ୍ପର ଉଦଘାଟନ କରିବେ। ପଶ୍ଚିମ ଓଡ଼ିଶାରେ ଶିଳ୍ପ ଓ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସର ଏହା ଅଂଶବିଶେଷ ବୋଲି କୁହାଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ବରଗଡ଼ରେ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ସମ୍ବଲପୁର ଫେରି ସେଠାରେ ରାତ୍ରିଯାପନ କରିବେ। ୫ତାରିଖରେ ସମ୍ବଲପୁରରେ ବିଶାଳ ଜନସଭାର ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀ ଶାହ ଏହି ଜନସଭାରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ଏସବୁ କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ(Amit Shah) ଏହି ଗସ୍ତ ସମୟରେ ବିଜେପି ନେତାମାନଙ୍କୁ ଭେଟି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ଏହି ଗସ୍ତକୁ ନେଇ ପଶ୍ଚିମଓଡ଼ିଶା ବିଜେପି ଶିବିର ଚଳଚଂଚଳ ହୋଇଉଠିଛି।