କଟକ: ବାରମ୍ବାର ସୁଯୋଗ ଦିଆଯିବା ପରେ ମଧ୍ୟ ପୂର୍ତ୍ତ ବିଭାଗ ଦ୍ବାରା ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହାଇକୋର୍ଟଙ୍କ ୨୦୨୫, ଜୁନ ୨୦ର ନିର୍ଦ୍ଦେଶ ଆଜି ଠାରୁ ତିନି ଦିନ ଭିତରେ ପାଳନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଯଦି ଏଥିରେ ବିଫଳ ହୁଅନ୍ତି ତେବେ ଅତିରିକ୍ତ ସଚିବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭୁବନେଶ୍ବର ଡିସିପି ୪୮ଘଣ୍ଟା ପାଇଁ ଗିରଫ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମେସର୍ସ ପ୍ରତିଷ୍ଠା ଇଂଜିନିୟରିଂ ଲିମିଟେଡ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୨୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସଂସ୍ଥା ଏକ କାର୍ଯ୍ୟ ସଂପାଦନ କରିବା ପରେ ଏ ବାବଦ ଅର୍ଥ ପୂର୍ତ୍ତ ବିଭାଗ ନିକଟରୁ ବିଳମ୍ବରେ ପାଇଥିଲା। ବିଳମ୍ବ ପାଇଁ ସଂପୃକ୍ତ ରାଶି ଉପରେ ସୁଧ ପ୍ରଦାନ ପାଇଁ ହାଇକୋର୍ଟ ୨୦୨୫, ଜୁନ ୨୦ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ସଂସ୍ଥା ଅଦାଲତ ଅବମାନନା ମାମଲା ଦାୟର କରିଥିଲା। ବାରମ୍ବାର ସୁଯୋଗ ଦିଆଯିବା ପରେ ମଧ୍ୟ ୨୦୨୫, ଜୁନ ୨୦ର ନିର୍ଦ୍ଦେଶ ପୂର୍ତ୍ତ ବିଭାଗ କାର୍ଯ୍ୟକାରୀ କରି ନଥିଲା।
