ଜଗତସିଂହପୁର: ଆଜିଜଗତସିଂହପୁର ସମଗ୍ର ଶିକ୍ଷା ଅଭିଯାନ (SSA) ର ଡିଇଓ/ଡିପିସି (ଜିଲ୍ଲା ପ୍ରକଳ୍ପ ସଂଯୋଜକ) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଓଡ଼ିଶା ଭିଜିଲାନ୍ସ ଏକ ମାମଲାରେ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କାବୁ କରିଛି। ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ ବ୍ଲାକ୍ବୋର୍ଡ ସ୍ଥାପନ କାର୍ଯ୍ୟ କରିଥିବା ଜଣେ କାର୍ଯ୍ୟକାରୀ (ଏକ୍ଜିକ୍ୟୁଟାଣ୍ଟ) ଙ୍କର ବକେୟା ବିଲ୍ ମଞ୍ଜୁର କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ।
ଅଭିଯୁକ୍ତ ଚନ୍ଦ୍ରଜିତ ପରିଜା କ୍ରୟ ଏବଂ ବୈଷୟିକ କମିଟିର ସଦସ୍ୟ ଭାବରେ ସ୍ଥାପନ କାର୍ଯ୍ୟର ଯାଞ୍ଚ କରନ୍ତି ଏବଂ ତାଙ୍କର ପ୍ରମାଣପତ୍ର ଆଧାରରେ ହିଁ କାର୍ଯ୍ୟକାରୀଙ୍କୁ ବିଲ୍ ଟଙ୍କା ପ୍ରଦାନ କରାଯାଇଥାଏ। ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଶ୍ରୀ ପରିଜା କାମର ଯାଞ୍ଚ ପାଇଁ କୌଣସି ପଦକ୍ଷେପ ନେଉନଥିଲେ। ବରଂ ବକେୟା ବିଲ୍ କ୍ଲିୟର କରିବା ପାଇଁ ସେ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।ଏହାପରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଜାଲ ବିଛାଇ ଆଜି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ପ୍ରୋଗ୍ରାମର ଶ୍ରୀ ପରିଜାଙ୍କୁ ଧରିଥିଲେ। ଶ୍ରୀ ପରିଜାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା (୩୦,୦୦୦ ଟଙ୍କା) ଜବତ କରାଯାଇଛି।ଏହି ଘଟଣା ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଶ୍ରୀ ପରିଜାଙ୍କ ସହିତ ସଂପୃକ୍ତ ତିନୋଟି ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।ଏହି ସମ୍ବନ୍ଧରେ କଟକ ଭିଜିଲାନ୍ସ ପି.ଏସ୍. କେସ୍ ନମ୍ବର-୩୯, ତାରିଖ ୦୭.୧୦.୨୦୨୬ (ପି.ସି (ସଂଶୋଧନ) ଆଇନ, ୨୦୧୮ ର ଧାରା-୭) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଶ୍ରୀ ପରିଜାଙ୍କ ବିରୋଧରେ ବର୍ତ୍ତମାନ ତଦନ୍ତ ଜାରି ରହିଛି।
