ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନୁପ୍ରବେଶ କରି ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ହାତକୁ ନେବାକୁ ବସିଥିବା ବେଳେ ରାଜ୍ୟର ଡବଲ ଇଞ୍ଜିନ ସରକାର, ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ନିରବତା ସରକାରଙ୍କ ମୁଖା ଖୋଲି ଦେଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ଡବଲ ଇଞ୍ଜିନ ସରକାର ରାଜ୍ୟର ଜମି ଓ ଜନସାଧାରଣଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। ଓଡ଼ିଆ ଅସ୍ମିତା ନାଁରେ ଆସିଥିବା ସରକାର ପୋଲାଭରମ, ଇଷ୍ଟକୋଷ୍ଟ ରେଲୱେ, ଏମ୍ଏମ୍ଡିଆର ଭଳି ପ୍ରସଙ୍ଗରେ ସଂପୂର୍ଣ୍ଣ ଚୁପ୍। ପିସିସି ସଭାପତି ଭକ୍ତଚରଣ ଦାସ କୋଟିଆ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସରକାର ସଂପୂର୍ଣ୍ଣ ଏଡ଼ାଇ ଦେଇଛନ୍ତି। ମୁଖପାତ୍ର ରଜନୀ ମହାନ୍ତି କହିଲେ, କୋଟିଆରେ ଥିବା ମୂଲ୍ୟବାନ ଖଣିଜ ପଦାର୍ଥକୁ ଲୁଟ୍ କରିବା ପାଇଁ ଆନ୍ଧ୍ର ସରକାର ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛନ୍ତି।
୨୦୨୩ରେ କୋଟିଆ ଅଞ୍ଚଳରେ ଅନୁପ୍ରବେଶକୁ ବିଜେପିର ବରିଷ୍ଠ ନେତମାନେ ବିରୋଧ କରିଥିଲେ। ରାଜ୍ୟରେ କ୍ଷମତାକୁ ଆସିବା ପରେ କୋଟିଆ ପ୍ରସଙ୍ଗକୁ ନେଇ ସରକାର ସଂପୂର୍ଣ୍ଣ ଚୁପ। ଆନ୍ଧ୍ରର ଟିଡିପି ସରକାର ଏନ୍ଡିଏ ମେଣ୍ଟର ଏକ ବଡ଼ ଅଂଶୀଦାର ହୋଇଥିବାରୁ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ମୁହଁ ଖୋଲିବାକୁ ଡରୁଛନ୍ତି। ନିଜ ରାଜ୍ୟର ଅଞ୍ଚଳ ଚାଲିଯାଉ କିିନ୍ତୁ କେନ୍ଦ୍ରରେ ମୋଦୀ ସରକାର ରହୁ ଏହି ନ୍ୟାୟରେ ମୋହନ ସରକାର ବୋଧେ ଚୁପ୍ ରହିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
