ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଲାଗି ରହିବ । ବିଶେଷ କରି ଗୁରୁବାର ସନ୍ଧ୍ୟାରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ।ଗତ କିଛିଦିନ ଧରି ଓଡ଼ିଶାରେ ଲଗାଣ ବର୍ଷା କରାଇଥିବା ଅବପାତ କ୍ରମଶଃ ଦୁର୍ବଳ ହେଉଛି । ଏହା ଉତ୍ତର ଝାଡ଼ଖଣ୍ଡ, ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପଶ୍ଚିମ ବିହାର ଏବଂ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଉପରେ ଥିଲା ଆଜି ଦିନରେ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଦକ୍ଷିଣ-ପୂର୍ବ ୟୁପି, ପାଶ୍ୱର୍ବର୍ତ୍ତୀ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅଳ୍ପ କେତେକ ଜାଗାରେ ବର୍ଷା ହେବ । କିନ୍ତୁ, ୨୧ରୁ ବର୍ଷା ପରିମାଣ ବଢ଼ିପାରେ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ୨୨, ୨୩, ୨୪ ଓ ୨୫ ତାରିଖରେ ଅନେକ ସ୍ଥାନରେ ବର୍ଷା ହେବା ସହ କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
