କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭାରୀ ବର୍ଷା ଯୋଗୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୩୦ ବର୍ଷର ରେକର୍ଡ ଏଥର ବର୍ଷା କେନ୍ଦୁଝର ଜିଲ୍ଲାରେ ଭାଙ୍ଗିଛି । ଲଗାତର ଭାବେ ବୈତରଣୀ ନଦୀ ଆନନ୍ଦପୁର ଠାରେ ୬ ଦିନ ଧରି ସତର୍କ ସୂଚନା ଉପରେ ପ୍ରବାହିତ ହେବା ନଦୀକୂଳିଆ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ବୁଧବାର ରାତିରୁ ଲଗାଣ ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସମସ୍ତ ନଦୀ ଓ ନାଳରେ ଜଳସ୍ତର ବଢିବା ସହ ରାସ୍ତା ଉପରେ ପାଣି ଚାଲିଛି । ବାଂଶପାଳ ବ୍ଲକର ବୈତରଣୀ ନଦୀ, ମଲଦା, ବ୍ରାହ୍ମଣୀ, ବଇଙ୍ଗା ଆଦି ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଜଳ ପ୍ରବାହିତ ହେଉଛି । ସାରା ଜିଲ୍ଲାରେ ବର୍ଷାର ପ୍ରଭାବରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହିତ ରାସ୍ତା ଉପରେ ପାଣିର ସୁଅ ଛୁଟିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆନନ୍ଦପୁର ଠାରେ ବିପଦସଙ୍କେତ ଉପରେ ବୈତରଣୀ ନଦୀ ଜଳ ୩ ଦିନ ହେବ ସତର୍କ ସୂଚନା ଉପରେ ଏବେବି ରହିଛି । ମୟୂରଭଞ୍ଜ ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲାକୁ ୨ ଦିନ ଧରି ରେଡ୍ ୱାର୍ଣ୍ଣି ରହିଥିଲା । କେନ୍ଦୁଝରରେ ଅତି ଭାରୀବର୍ଷା ସୋମବାର ଠାରୁ ହୋଇନଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କରଞ୍ଜିଆରେ ଭାରୀବର୍ଷା ଯୋଗୁ ଦେଓ ନଦୀଜଳ ସ୍ତର ବୈତରଣୀରେ ପ୍ରବେଶ କରିବା ପରେ ମଙ୍ଗଳବାର ପୁଣି ସତର୍କ ସୂଚନା ଉପରେ ଆନନ୍ଦପୁର ଠାରେ ବୈତରଣୀ ନଦୀ ଜଳ ବଢ଼ୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଓ ବିପଦସଙ୍କେତ ୩୮.୦୬୦ ରହିଥିବା ବେଳେ ମଙ୍ଗଳବାର ସକାଳ ୭ଟାରେ ଜଳସ୍ତର ୩୮.୨୩୦, ୮ଟାରେ ୩୮.୦୬୦, ୯ଟାରେ ୩୭.୮୯୦ ମିଟର ରେକର୍ଡ କରାଯାଇଛି । ପୂର୍ବାହ୍ନ ୧୦ଟାରେ ୩୭.୭୫୦ ମିଟର, ୧୧ଟାରେ ୩୭.୭୦୦ ମିଟର, ୧୨ଟାରେ ୩୭.୬୮୦ ମିଟର ଏବଂ ଦିନ ୨ଟା ପର୍ଯ୍ୟନ୍ତ ୩୭.୬୨୦ ମିଟର ଜଳସ୍ତର ରହିଥିଲା । ସୋମବାର ରାତିରେ କେନ୍ଦୁଝର ସହିତ ମୟୂରଭଞ୍ଜ ଜିଲ୍ଲାରେ ଭାରୀବର୍ଷା ଯୋଗୁ ଅପରାହ୍ନରେ ବୈତରଣୀ ନଦୀ ଜଳସ୍ତର ପୁଣି ବଢ଼ି ଯାଇଥିଲା । ଅପରାହ୍ନ ୫ଟାରେ ଜଳସ୍ତର ୩୭.୬୪୦ ମିଟର ଓ ସନ୍ଧ୍ୟା ୬ଟାରେ ୩୭.୬୮୦ ମିଟର ଜଳସ୍ତର ରହିଥିବା ରେକର୍ଡ କରାଯାଇଛି । ରାତିରେ ଉପରମୁଣ୍ଡରେ ବର୍ଷା ନହେଲେ ଜଳସ୍ତର ବୁଧବାର ସକାଳ ସୁଦ୍ଧା ହ୍ରାସ ପାଇବ ବୋଲି  ବୈତରଣୀ ଡିଭିଜନ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ସାରା ଜିଲ୍ଳାରେ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାଣ୍ଣି ର୍ଂ ରହିଥିଲା ।