ବ୍ରହ୍ମପୁର: ଜାତୀୟ ସ୍ତରୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ଦ୍ୱିତୀୟ ଥର ପାଇଁ ସଫଳତା ନ ମିଳିବା ପରେ ଜଣେ ୨୦ ବର୍ଷୀୟା ଛାତ୍ରୀ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଅଞ୍ଚଳରେ ମେଡିକାଲ ଶିକ୍ଷା ପାଇଁ ଆଶାୟୀ ରହିଥିବା ଛାତ୍ରୀ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ନ ପାଇବାରୁ ଏଭଳି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା ନ°-୨୯/୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଛାତ୍ରୀ ଜଣକ ସହରର ଏକ ସୁପରିଚିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଭଲ ନମ୍ବର ରଖି ପାସ୍ କରିବା ପରେ ଗତ ଦୁଇ ବର୍ଷ ଧରି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ଗୁରୁବାର ସଂନ୍ଧ୍ୟାରେ ପୁନଃ ନିଟ୍-୨୦୨୬ର ଫଳ ପ୍ରକାଶ ପାଇବା ପରେ ସେ ନିଜର ଫଳାଫଳ ଦେଖି ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ପରିବାର ଲୋକେ ବୁଝାସୁଝା କରିଥିଲେ ମଧ୍ୟ ସେ ଗଭୀର ମାନସିକ ଚାପରେ ରହିଥିବା ପରିବାର ଲୋକେ କହିଛନ୍ତି। ଶୁକ୍ରବାର ସକାଳ ସମୟରେ ଛାତ୍ରୀ ରହୁଥିବା କୋଠରୀର କବାଟ ନ ଖୋଲିବାରୁ ପରିବାର ସଦସ୍ୟ ମାନେ ସନ୍ଦେହ କରି ଗୋଳନ୍ଥରା ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲକୁ ପଠାଯାଇଛି । ସେପଟେ ଛାତ୍ରୀଙ୍କ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।