ବାଲେଶ୍ବର: ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ୍‌ ସଂଯୋଗ କରିଥିଲେ, ସେହି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମହିଷାପଣ୍ଡା ଅଞ୍ଚଳରେ । ମୃତକ ହେଲେ ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା ।ସୂଚନା ଅନୁସାରେ, ଗତ ଗୁରୁବାର ରାତିରେ ମୃତ ବାବୁଲି ଦାସ ଚାଷ ଜମିରେ ପଡ଼ିଥ‌ିବା ତଳିକୁ ବୁଲା ଗୋରୁ ଗାଈଙ୍କ ଠାରୁ ସୁରକ୍ଷା ପାଇଁ ଜାଲି ସହିତ ତାର ଲଗାଇ ଦେଇଥିଲେ । ଏଥ‌ିରେ ଗତକାଲି (ଶୁକ୍ରବାର) ସଂନ୍ଧ୍ୟାରେ ବିଦ୍ୟୁତ୍‌ ତାର ସଂଯୋଗ କରିଥିଲେ । ହେଲେ ଅଜାଣତରେ ବିଦ୍ୟୁତ୍‌ ତାର ସଂଯୋଗ ନ ଖୋଲି ବାବୁଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ବିଦ୍ୟୁତ୍‌ ଆଘାତରେ ଶିକାର ହୋଇ ବିଲରେ ଛଟପଟ ହେଉଥିଲେ । ଏହି ସମୟରେ ରାସ୍ତା ପାଖରେ ଘର କରିଥିବା ଜଣେ ବୃଦ୍ଧା ପାର୍ବତୀ ମୁଣ୍ଡା ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ଶିକାର ହୋଇଥିଲେ ।

ତେବେ ସେହିଠାରେ ହିଁ ଉଭୟଙ୍କର ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ବିଦ୍ୟୁତ୍‌ ତାର ଛିଡାଇ ଅଡ଼ା ଦମକଳ କେନ୍ଦ୍ର ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଦମକଳ କେନ୍ଦ୍ରର କର୍ମଚାରୀ ସେମାନଙ୍କୁ ବିଲରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ ।