ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେଡି ସରକାରରେ ପ୍ରଭାବଶାଳୀ ଅଫିସର ତଥା ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି କରିଛି। ସର୍ବଭାରତୀୟସ୍ତରର ଏହି ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ୩ଦିନ ମଧ୍ୟରେ ତଦନ୍ତକାରୀ ଅଫିସର ପାଖରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ,୨୦୦୮ ମସିହାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ଜଷ୍ଟିସ ନାଇଡ଼ୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଗତ ଜୁନ୍ ମାସରେ ପୁଲିସରେ ଏଫଆଇଆର ଦିଆଯାଇଥିଲା । ୨୦୨୪ ଜୁନ୍ ୪ ତାରିଖରେ ନିର୍ବାଚନ ପରିଣାମ ବିଜେପି ସପକ୍ଷରେ ଯିବା ପରେ ସିଏମଓରୁ ଗୃହ ବିଭାଗକୁ ସମସ୍ତ ଫାଇଲ ପଠାଯାଇଥିଲେ ମଧ୍ୟ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଫେରିନଥିଲା ବୋଲି ଏଫଆଇଆରରେ ଉଲ୍ଲେଖ ଥିଲା।ନୂଆ ସରକାର ଗଠନ ପରେ ଏହି ରିପୋର୍ଟଗୁଡ଼ିକୁ ସାର୍ବଜନୀନ କରିବା ପାଇଁ ଖୋଜାଖୋଜି କରାଯାଇଥିଲେ ବି ଏହାର କୌଣସି ପତ୍ତା ମିଳିନଥିଲା। ଗୃହ ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ କେବଳ ‘ଫାଇଲ ଖୋଜା ଚାଲିଛି’ ବୋଲି ଉତ୍ତର ମିଳିଥିଲା।

ଏହି ସମଗ୍ର ବିବାଦ ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ନାଇଡ଼ୁ କମିଶନ ରିପୋର୍ଟ ୨୦୧୬ ମସିହାରେ ଓ ସମ୍ ହସ୍ପିଟାଲ ରିପୋର୍ଟ ୨୦୧୮ ମସିହାରେ ମୁଖ୍ୟ ସଚିବଙ୍କ ଜରିଆରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲା, ହେଲେ ତାହା ଆଉ ଫେରିନାହିଁ କିମ୍ବା ପୂର୍ବ ସରକାର ଏହାକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିନାହାନ୍ତି। ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିବା ଓ  ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ କୌଣସି ସନ୍ତୋଷଜନକ ସୂଚନା ନମିଳିବାରୁ ଶେଷରେ ରାଜ୍ୟ ସରକାର ବାଧ୍ୟ ହୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏବେ ପୁଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଉଭୟ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍ ପଠାଇଛି।