ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି  ରେଳ ମନ୍ତ୍ରଣାଳୟର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ୩,୯୦୭ କୋଟି ଟଙ୍କା ରହିଛି। ଏହାର ଲକ୍ଷ୍ୟ ହେଲା ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ରେଳ କ୍ଷମତା ବୃଦ୍ଧି କରିବା, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ମାଲ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା।

ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ହେଲା ପାରାଦୀପ-ହରିଦାସପୁର ଦୋହରୀକରଣ ପ୍ରକଳ୍ପ ଏବଂ ରାଜଖରସୁଆଁ-ଡାଙ୍ଗୁଆପୋଷୀ ଚତୁର୍ଥ ଲାଇନ୍ ପ୍ରକଳ୍ପ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଭାରତୀୟ ରେଳ ନେଟୱର୍କରେ ପ୍ରାୟ ୧୪୫ କିଲୋମିଟର ରେଳପଥ ଯୋଡ଼ିହେବ ଏବଂ ଏହା ୨୦୩୦-୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସରକାରଙ୍କ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ‘ପିଏମ୍ ଗତି ଶକ୍ତି’ ଜାତୀୟ ମାଷ୍ଟର ପ୍ଲାନ ସହିତ ସମାନ ଭାବେ କାର୍ଯ୍ୟ କରିବ, ଯାହା ମଲ୍ଟିମୋଡାଲ କନେକ୍ଟିଭିଟି ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ପାଇଁ ସମନ୍ୱିତ ଭିତ୍ତିଭୂମି ଯୋଜନା ଉପରେ ଗୁରୁତ୍ୱ ଦେଉଛି।

ସରକାର ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ଏହି ପ୍ରକଳ୍ପ ଦ୍ୱାରା ରେଳ କ୍ଷମତା ବୃଦ୍ଧି ପାଇବା ସହିତ ଗତିଶୀଳତା, କାର୍ଯ୍ୟକ୍ଷମତା ଏବଂ ସେବାର ନିର୍ଭରଯୋଗ୍ୟତାରେ ବଡ଼ ଧରଣର ସୁଧାର ଆସିବ। ଏଥିସହିତ ପ୍ରମୁଖ ମାଲ ପରିବହନ କରିଡରଗୁଡ଼ିକରେ ଭିଡ଼ ମଧ୍ୟ କମିବ।

ଏହି ବିବୃତିରେ କୁହାଯାଇଛି ଯେ ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ‘ନୂତନ ଭାରତ’ ସଂକଳ୍ପକୁ ସାକାର କରିବ। ଏଗୁଡ଼ିକ ସାମଗ୍ରିକ ବିକାଶ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ ବା ‘ଆତ୍ମନିର୍ଭର’ କରିବା ସହ ରୋଜଗାର ସୁଯୋଗ ସୃଷ୍ଟି କରିବ।
ଏହି ପ୍ରକଳ୍ପ ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ପ୍ରମୁଖ ଜିଲ୍ଲାକୁ ସଂଯୋଗ କରିବ। ଏହା ଦ୍ୱାରା ପ୍ରାୟ ୧,୫୨୬ଟି ଗ୍ରାମର ୧୪ ଲକ୍ଷ ଜନସଂଖ୍ୟା ସିଧାସଳଖ ଉପକୃତ ହେବେ। ଏହି କ୍ଷମତା ବୃଦ୍ଧି ଫଳରେ ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, ଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ମେଘାହାତୁବୁରୁ ପାହାଡ଼ ସମେତ ଅନେକ ପର୍ଯ୍ୟଟନ ସ୍ଥଳୀକୁ ଯିବା ସହଜ ହେବ।

ସରକାରଙ୍କ କହିବା ଅନୁଯାୟୀ, ଏହି ରେଳପଥଗୁଡ଼ିକ କୋଇଲା, ଲୁହାପଥର, ଡୋଲୋମାଇଟ୍, ଚୂନପଥର ଏବଂ ଜିପସମ୍ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ଅତିରିକ୍ତ ୪୪ ମିଲିୟନ ଟନ ମାଲ ପରିବହନ ସମ୍ଭବ ହେବ।

ଏହି ପ୍ରକଳ୍ପ ଦ୍ୱାରା ପରିବେଶକୁ ମିଳିବାକୁ ଥିବା ଲାଭ ଉପରେ ଆଲୋକପାତ କରି ସରକାର କହିଛନ୍ତି ଯେ, ଏହି ଉନ୍ନତ ରେଳ ଭିତ୍ତିଭୂମି ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ପ୍ରାୟ ୬ କୋଟି ଲିଟର ତୈଳ ଆମଦାନୀ ସଞ୍ଚୟ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ୨୯ କୋଟି କିଲୋଗ୍ରାମ କମ୍ କରିବ। ଏହି ନିର୍ଗମନ ହ୍ରାସ ଏକ କୋଟି ଗଛ ଲଗାଇବା ଦ୍ୱାରା ମିଳୁଥିବା ଲାଭ ସହିତ ସମାନ।

କେନ୍ଦ୍ର ସରକାର କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ଭାରତର ପରିବହନ ଭିତ୍ତିଭୂମିକୁ ସୁଦୃ଼ଢ଼ କରିବାରେ ଯୋଗଦାନ ଦେବ ଏବଂ ରେଳଭିତ୍ତିକ ମାଲ ପରିବହନର ବ୍ୟବହାର ବଢ଼ାଇ ଦେଶର ଆର୍ଥିକ ଅଭିବୃଦ୍ଧି, ଆଞ୍ଚଳିକ ବିକାଶ ଏବଂ ଜଳବାୟୁ ଲକ୍ଷ୍ୟକୁ ସମର୍ଥନ କରିବ।