ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ ଆରମ୍ଭ ହେବ। ଛାତ୍ରୀଛାତ୍ର ସାମ୍ସ ପୋର୍ଟାଲ ମାଧ୍ୟମରେ କମନ ଆପ୍ଲିକେଶନ ଫର୍ମ ପୂରଣ କରି ୩୦ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ। ରାଜ୍ୟର ୪ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମ ପାଇଁ ମୋଟ ୨୦୦ ସିଟ୍‌ ରହିଛି। ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫୦ ସିଟ୍‌ ରେଗୁଲାର୍‌ ମୋଡ୍‌ରେ ରହିଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୫୦, ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୫୦ ଏବଂ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୫୦ ସିଟ୍‌ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ରହିଛି। କ୍ୟାରିୟର୍‌ ମାର୍କ୍ସ (ଶତକଡ଼ା) ଓ ସଂରକ୍ଷଣ ନିୟମ ଆଧାରରେ ସିଟ୍‌ ଆବଣ୍ଟନ କରାଯିବ। ‘ଫ୍ରିଜ୍‌’ ଓ ‘ସ୍ଲାଇଡ୍‌’ ବିକଳ୍ପ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଚାଲିବ। ଏଥିପାଇଁ କୌଣସି ପ୍ରବେଶିକା ପରୀକ୍ଷା ହେବ ନାହିଁ। ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ମାନବିକୀ ବିଷୟରେ ପିଜି ପାସ୍‌ କରିଥିବା ପ୍ରାର୍ଥୀମାନେ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ। ସେପ୍ଟେମ୍ବର ୨୨ରୁ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।