ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ଥିବାବେଳେ ସାଧାରଣ ଲୋକଙ୍କୁ ଭୟଭୀତ ନହେବାକୁ ଆହ୍ୱାନ କରିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କୋଭିଡ ସ୍ଥିତି ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି । ଏହା ସହିତ ଯେକୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ରହିଛି । ଜନସାଧାରଣଙ୍କୁ ମୋର ଅନୁରୋଧ, କୌଣସି ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ଅଥବା ଭୟଭୀତ ନହୋଇ ସଚେତନ ରୁହନ୍ତୁ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ପାଳନ କରନ୍ତୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆହୁରି କହିଛନ୍ତି ଯେ, ବିଶେଷକରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି । ସେଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଜାଗ ରଖିବା ସହ ଆବଶ୍ୟକ ନଜରଦାରି ଜାରି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଯେଉଁ ପରାମର୍ଶ କିମ୍ବା ନିର୍ଦ୍ଦେଶ ଆସିବ, ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କୋଭିଡକୁ ନେଇ ଅଯଥା ଆତଙ୍କିତ ନହୋଇ ସରକାରୀ ପରାମର୍ଶ ମାନିବା ଆବଶ୍ୟକ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ।
ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥଯାତ୍ରା ସମୟରେ ପ୍ରାୟ ୨୦୦ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ସହ ପାରାମେଡିକାଲ କର୍ମଚାରୀ, ଆବଶ୍ୟକ ଔଷଧ, ଆଇସିୟୁ ସୁବିଧା ଏବଂ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ । ସାରା ଓଡ଼ିଶା ପାଇଁ ଗୋଟିଏ ଦର ନିର୍ଦ୍ଧାରଣ କରାଯିବ । କେନ୍ଦ୍ର ସରକାର 39ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକାକୁ ରାଜ୍ୟର ସମସ୍ତ ମେଡିସିନ ଷ୍ଟୋରରେ ଲଗାଯିବ । ରକ୍ତଚାପ, ମଧୁମେହ, ହୃଦ ରୋଗ ଭଳି ବିଭିନ୍ନ ରୋଗ ପାଇଁ 39ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁକେଶ ମହାଲିଙ୍ଗ ।
