ସାନ୍ତାକ୍ଲାରା : ସହଆୟୋଜକ ଆମେରିକା ଚଳିତ ଫିଫା ବିଶ୍ୱକପ୍ର ପ୍ରିକ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛି । ସ୍ଥାନୀୟ ସାନ୍ ଫ୍ରାନ୍ସିସ୍କା ବେ ଏରିଆ ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଏହି ଘରୋଇ ଦଳ ୨-୦ ଗୋଲ୍ରେ ବୋସନିଆ ଓ ହର୍ଜଗୋଭିନାକୁ ପରାସ୍ତ କରିଛି । ଆମେରିକା ୭ ତାରିଖ ପ୍ରିକ୍ୱାର୍ଟରଫାଇନାଲ୍ରେ ବେଲ୍ଜିୟମ୍କୁ ଭେଟିବ ।
ଦ୍ୱିତୀୟାର୍ଦ୍ଧରେ ଆମେରିକାକୁ ଝଟ୍କା: କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ଭାବେ ଶେଷ ହେବାକୁ ଯାଉଥିଲା ବେଳେ ଫୋଲାରିନ୍ ବାଲୋଗନ୍ଙ୍କ ଗୋଲ୍ରେ ଆମେରିକା ଆଗୁଆ ହୋଇଯାଇଥିଲା । ତେବେ ଦ୍ୱିତୀୟାର୍ଦ୍ଧରେ ଆମେରିକାକୁ ବଡ ଝଟ୍କା ଲାଗିଥିଲା । ଗୋଲ୍ କରିଥିବା ବାଲୋଗନ୍ ୬୪ତମ ମିନିଟ୍ରେ ବୋସନିଆର ତାରିକ ମୁହାରେମୋଭିକ୍ଙ୍କୁ ବିପଦପୂର୍ଣ୍ଣ ଫାଉଲ୍ ମାରି ରେଡ୍କାର୍ଡ ପାଇ ପଡିଆ ଛାଡିଥିଲେ । ଫିଫା ବିଶ୍ୱକପ୍ରେ ଗୋଲ୍ ଦେବା ପରେ ରେଡକାର୍ଡ ପାଇବାରେ ସେ ଜିନେଡିନ୍ ଜିଡାନ (୨୦୦୬) ପରେ ପ୍ରଥମ ଖେଳାଳି ହୋଇଥିଲେ । ସେ ପଡିଆ ଛାଡିବା ପରେ ଘରୋଇ ଦଳ ୧୦ ଜଣକୁ ନେଇ ଖେଳିଥିଲା । ଏହାର ଫାଇଦା ଉଠାଇବାକୁ ବୋସନିଆ ବହୁଚେଷ୍ଟା କରିଥିଲେ ମଧ୍ୟ ଆମେରିକାର ରକ୍ଷଣଭାଗ ଭେଦ କରିପାରି ନଥିଲା । କିନ୍ତୁ ୮୨ତମ ମିନିଟ୍ରେ ଆମେରିକା ଫ୍ରି କିକ୍ ଅର୍ଜନ କରିନେଇଥଇଲା । ଏହାକୁ ମଲିକ ଟିଲମାନ ସିଧା ବୋସନିଆ ଗୋଲ୍ ପୋଷ୍ଟ୍କୁ ପଠାଇ ଦଳକୁ ୨-୦ରେ ବିଜୟ ଭେଟି ଦେଇଥିଲେ । ଏଥିସହ ଆମେରିକା ୨୦୦୨ ପରେ ପ୍ରଥମ ଥର ନକ୍ଆଉଟ୍ରେ ବିଜୟୀ ହୋଇଥିଲା ।
