ଗୁଣୁପୁର: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ବଡ଼ଧରଣର ସଡ଼କ ଦୁର୍ଘଟଣା। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ମେକ୍ସ ପିକଅପ୍ ଗାଡ଼ି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ମୋଟ ୧୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।ଘଟଣାରୁ ଜଣାପଡ଼ିଛି ଯେ, ଆଜି ସକାଳେ ଶଗଡ଼ା ଗ୍ରାମର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ଏକ ମେକ୍ସ ପିକଅପ୍ ଯୋଗେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଡକାଶିକୁଳା ଗ୍ରାମ ଅଭିମୁଖେ ଯାଉଥିଲେ। ସେମାନେ ସେଠାରେ ଧାନ ରୁଆ କାମ କରିବା ପାଇଁ ଯାଉଥିବା କୁହାଯାଇଛି। ତେବେ ଟଲଣା ଘାଟି ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆହତ ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୁଟାସିଂ ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଆହତ ଶ୍ରମିକମାନଙ୍କୁ ଗାଡ଼ି ଭିତରୁ ବାହାର କରିବା ସହ ପୋଲିସ ଓ ଦମକଳ ଗାଡ଼ିରେ ସେମାନଙ୍କୁ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସେଠାରେ ଆହତ ୧୮ ଜଣ ଶ୍ରମିକଙ୍କୁ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଗୁରୁତର ଥିବା ୧୦ ଜଣଙ୍କୁ ଡାକ୍ତରମାନେ ପରୀକ୍ଷା କରିବା ପରେ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଇଥିଲେ। ମେଡିକାଲ ସୁପରିଟେଣ୍ଡେଣ୍ଟ ଶ୍ରୀକାନ୍ତ ଜେନାଙ୍କ ସମେତ ୫ ଜଣ ଡାକ୍ତର ଆହତ ଶ୍ରମିକମାନଙ୍କ ଚିକିତ୍ସାରେ ନିୟୋଜିତ ଥିଲେ।ଏହି ଦୁର୍ଘଟଣାରେ ଗୁରୁତର ଆହତଙ୍କ ମଧ୍ୟରେ ରୁଜାନ ଗମାଙ୍ଗ ( ୪୨ ),ସାମନି ଗମାଙ୍ଗ ( ୩୫ ),ଗୈାତମ ଗମାଙ୍ଗ ( ୩୦ ),ଅମ୍ବିକା ଗମାଙ୍ଗ ( ୪୬ ), ରିଞ୍ଜାନ ଶବର ( ୪୫ ),ଜୟମନି ଗମାଙ୍ଗ ( ୪୫ ), ସୁନିତା ଦଳବେହେରା ( ୪୦ ), ଆଲିଶାା ଗମାଙ୍ଗ ( ୩୫ ), ଇଶ୍ରାଏଲ ଗମାଙ୍ଗ ( ୫୫), କୁମାରି ଗମାଙ୍ଗ ( ୩୦ ),ରାମେଡି ଗମାଙ୍ଗ ( ୩୫ ) ସୁଷନି ଗମାଙ୍ଗ ( ୩୦ ), ଶାନ୍ତି ଗମାଙ୍ଗ ( ୪୦ ) ମନିତା ଶବର ( ୨୪ ),ସୁନିଲ ଦଳବେହେରା ( ୨୭ ), ବିଜମତୀ ଭୁଆଁ ( ୪୦ ) ଶରିତା ଗମାଙ୍ଗ ( ୨୮ ) ଙ୍କ ସମେତ ଅନ୍ୟମାନେ ରହିଛନ୍ତି।ଅନ୍ୟପକ୍ଷରେ, ଘଟଣାସ୍ଥଳରେ ପୁଟାସିଂ ପୋଲିସ ଦୁର୍ଘଟଣାଗ୍ରସ୍ତ ମେକ୍ସ ପିକଅପ୍କୁ ଜବତ କରିଛି। ପୁଟାସିଂ ଥାନା ଅଧିକାରୀ ବିନ୍ଦୁଲତା ନାୟକଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଗାଡିରେ ଅଧିକ ସଂଖ୍ୟକ ଶ୍ରମିକ ଯାତ୍ରା କରୁଥିଲେ କି ନାହିଁ ଏବଂ ଦୁର୍ଘଟଣାର ଅନ୍ୟ କୌଣସି କାରଣ ରହିଛି କି ନାହିଁ, ତଦନ୍ତ ପରେ ସ୍ପଷ୍ଟ ହେବ।ଘାଟି ରାସ୍ତାରେ ଏଭଳି ଭାବେ ଶ୍ରମିକ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଗାଡ଼ିରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଶ୍ରମିକଙ୍କୁ ନିଆଯାଉଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଆବଶ୍ୟକ ହୋଇପଡ଼ିଛି।
