ରାଜ୍ୟରେ ବନ୍ୟା ପରିସ୍ଥିତିରେ ଧୀରେଧୀରେ ସୁଧାର ଆସୁଥିବାବେଳେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପୀଡ଼ିତଙ୍କୁ ତୁରନ୍ତ ଅତିରିକ୍ତ ରିଲିଫ ଚାଉଳ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାରେ ୬ଟି ଜିଲ୍ଲାର ପ୍ରାୟ ୧୨.୮୭ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଶ୍ରୀ ପାଟିଲ କହିଛନ୍ତି ଯେ, ସୁବର୍ଣ୍ଣରେଖା ନଦୀକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ଏବେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ଜଳ କମିବା ଆରମ୍ଭ ହୋଇଛି, ତଥାପି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଂଚଳରୁ ସମ୍ପୂର୍ଣ୍ଣ ପାଣି ଛାଡ଼ିବା ପାଇଁ ଆହୁରି ପ୍ରାୟ ୩ ଦିନ ସମୟ ଲାଗିବ। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେଉଁଥିପାଇଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଚଳିତ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକର ୨୨୬ଟି ପଂଚାୟତ ଅଧୀନରେ ଥିବା ୭୪୩ଟି ଗାଁର ପ୍ରାୟ ୧୨.୮୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ଅଂଚଳରେ ସ୍ଥିତି ଅଧିକ ଜଟିଳ ରହିଛି ଓ ଜିଲ୍ଲାର ପ୍ରାୟ ୨୮ ହଜାର ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ୩୬ଟି ପଂଚାୟତର ୧.୯୦ ଲକ୍ଷ ଓ ଯାଜପୁର ଜିଲ୍ଲାରେ ପ୍ରାୟ ୩୧ ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି।

ପ୍ରଶାସନ ପକ୍ଷରୁ ଏବେସୁଦ୍ଧା ୮୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ୧୮୫ଟି ରିଲିଫ୍ ସେଣ୍ଟର ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବନ୍ୟା ପ୍ରଭାବିତ ଅଂଚଳରେ ପଶୁସମ୍ପଦ ପାଇଁ ୯୪୦ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ ବୈତରଣୀ ଓ ସାଳନ୍ଦୀ ନଦୀର ଘାଇଗୁଡ଼ିକର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ଅତିରିକ୍ତ ରିଲିଫ ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ଦୈନିକ ୧ କିଲୋ ଓ ୧୨ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଦୈନିକ ୫୦୦ ଗ୍ରାମ ହିସାବରେ ଚାଉଳ ବଣ୍ଟନ କରାଯିବ। ପରିସ୍ଥିତି ସ୍ୱାଭାବିକ ନହେବା ଓ ବିସ୍ଥାପିତ ଲୋକେ ଘରକୁ ନଫେରିବା ପର୍ଯ୍ୟନ୍ତ ଏହି ରିଲିଫ୍ ସହାୟତା ଯୋଗାଣ ଜାରି ରହିବ।