ଭଦ୍ରକ: ୪୦ ଫୁଟର ଘାଇ ୨ ଦିନରେ ବଢ଼ି ୧୦୦ ଫୁଟ। ପାଣିର ସ୍ରୋତରେ ଘାଇ ବଢ଼ି ଚାଲିଥିବାରୁ ଚିନ୍ତାରେ ଭଦ୍ରକ ଜିଲ୍ଲା ତଳଗୋପବିନ୍ଧା ପଞ୍ଚାୟତବାସୀ। ଘାଇ ମରାମତି ପାଇଁ ଜଳସମ୍ପଦ ବିଭାଗର ଏସଡିଓ ଓ ଯନ୍ତ୍ରୀଙ୍କ ତତ୍ପରତା। ବାଉଁଶ ବଦଳରେ ଲୁହା ବିମ୍ ଓ ପାଇପ୍ ପୋତାଯାଇ ଟିଣ ପ୍ଲେଟ୍ ଲଗାଇ ବନ୍ଧ ମରାମତି କାମ ଜାରି ରହିଛି।
ଅନ୍ୟପଟେ, ସାଳନ୍ଦୀ ଜଳସେଚନ ବିଭାଗର ନୋଟିସ୍ ପରେ ହଦଗଡ଼ ଡ୍ୟାମରୁ ଜଳ ନିଷ୍କାସନ ସାମୟିକ ଭାବେ ବନ୍ଦ କରାଯାଇଛି। ଦୁର୍ଗାପୁର ଏସ୍କେପ୍ ରୁ ନାଳିଆ ନଦୀକୁ ପାଣି ଛାଡ଼ିବା ମଧ୍ୟ ବନ୍ଦ ରହିଛି। ତଥାପି ନାଳିଆ ନଦୀର ବନ୍ୟାପାଣିରେ ତଳଗୋପବିନ୍ଧା ପଞ୍ଚାୟତର ପ୍ରାୟ ୨୦ଟି ଗାଁ ଜଳମଗ୍ନ। ତିଆଡ଼ିସାହି, ମଳିକସାହି, ମତଗଜପୁର, ବେହେରାସାହି, ହଟନଗର, ଜେନାସାହି, କହୁଣିଆକୂଳ, ତାଳପଦା, ଖଟୁଆସାହି, ସାମଲସାହି, ମକଦମସାହି, ପଦାସାହି, ମୀରିପୁର ଓ ମାଙ୍କଡ଼କୋଲା ସମେତ ବିଭିନ୍ନ ଗାଁରେ ବନ୍ୟାପାଣି ପଶିଛି। ଘାଇ ବଢ଼ୁଥିବାରୁ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କାରେ ଅଞ୍ଚଳବାସୀ।
