ଟୁଇନ ସିଟିରେ ଆଉ ଚାଲୁନି ଭଡ଼ା ଗାଡ଼ି କି ମିଳୁନି ଅଲଲାଇନ୍ ଟାକ୍ସି। ଓଲା, ଉବର, ଅନଲାଇନ ଟାକ୍ସି ସର୍ଭିସରେ ନାଁ ଗାଡ଼ି ବୁକ୍ ହେଉଛି ନାଁ କେହି ପିକଅପ୍ ପାଇଁ ଆସୁଛନ୍ତି। ଷ୍ଟିଅରିଂ ଛାଡ଼ି ରାଜରାସ୍ତାରେ ବସିଛନ୍ତି ଡ୍ରାଇଭର। ସେବା ବନ୍ଦ ଥିବାରୁ ଏହାର ସିଧା ସଳଖ ପ୍ରଭାବ ପଡ଼ିଛି ଯାତ୍ରୀଙ୍କ ଉପରେ। ବିମାନବନ୍ଦର, ଷ୍ଟେସନରୁ ଘରକୁ ଯିବାକୁ ମିଳୁନାହିଁ କୌଣସି ସାଧନ। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ତେବେ ଏଭଳି ସ୍ଥଳେ ପୁଣିଥରେ ମାନବିକତା ଦେଖାଇଛି ଖାକି ବଦ୍ଦି। ଯାତ୍ରୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛି କମିଶନରେଟ୍ ପୁଲିସ୍। ବିମାନବନ୍ଦରରେ ମୁତୟନ ଥିବା PCR ଏବେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଛି ।
ମେଡିକାଲ୍ ଏମର୍ଜେନ୍ସି ଥିଲେ ବିମାନବନ୍ଦରରୁ ହସ୍ପିଟାଲ୍ ପହଞ୍ଚାଇବା ସହ ବରିଷ୍ଠ ନାଗରିକଙ୍କୁ ମଧ୍ୟ PCR ଯୋଗେ ଘରେ ଛାଡ଼ୁଛି ପୁଲିସ୍। ପୁଲିସ୍ କମିଶନରଙ୍କ ନିର୍ଦ୍ଦେଶ ପରେ ଏକାଧିକ PCR ଗାଡ଼ି ଏହି ସେବାରେ ନିୟୋଜିତ ହୋଇଛି। ପୋଲିସର ଏହି ସହାୟତାକୁ ଖୁବ ପ୍ରଶଂସା କରିଛନ୍ତି ବରିଷ୍ଠ ନାଗରିକ ।
ଦ୍ୱିତୀୟ ଦିନରେ ପହଞ୍ଚିଛି ଓଡିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚର ପ୍ରତିବାଦ। ଅନଲାଇନ୍ ଟାକ୍ସି ସେବା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ବିମାନବନ୍ଦର, ଏକାମ୍ର ବିହାର, ଇନ୍ଫୋସିଟି ସମେତ ବିଭିନ୍ନ ପ୍ରମୁଖ ଛକରେ ଚାଳକମାନେ ଡେରା ପକାଇଛନ୍ତି। ଫଳରେ ଯାତ୍ରୀମାନେ ଅନଲାଇନ୍ ବୁକିଂ କରି କରି ଥକିଗଲେ ମଧ୍ୟ ଆସୁନାହିଁ ଗାଡ଼ି। ଆଉ ଯେଉଁ ସାଧନ ମିଳୁଛି ତାଙ୍କ ଦର ଶୁଣି ମୁଣ୍ଡ ଚକ୍କର କାଟୁଛି। ଫଳରେ ଲଗେଜ ଧରି ଚାଲି ଚାଲି ଘରକୁ ଯାଉଛନ୍ତି ଯାତ୍ରୀ। ସେପଟେ ଦାବି ପୁରଣ ନହେବା ଯାଏଁ ପ୍ରତିବାଦ ଚାଲୁ ରହିବ ବୋଲି ଚାଳକ କହିଛନ୍ତି।
