ଭୁବନେଶ୍ବର : ଉତ୍ତର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ନିମ୍ନଚାପରେଖା ସକ୍ରିୟ ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ଜାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାବ୍ୟତୀତ, ଚଳିତ ମାସ ଶେଷ ସୁଦ୍ଧା ଆଗ ପଛ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସି ନଥିବା ବେଳେ ପୁଣି ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର, ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ୨୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ କିମ୍ବା ୨୫ ତାରିଖ ବେଳକୁ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ ସନ୍ଧ୍ୟାରୁ ପାଗ ମେଘୁଆ ରହିବ ଏବଂ ସ୍ଥାନେସ୍ଥାନେ ବର୍ଷା ବି ଆରମ୍ଭ ହୋଇଯିବ। ୨୩, ୨୪ ଏବଂ ୨୫ତାରିଖରେ ଉତ୍ତର ଓଡ଼ିଶା ସହ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ସେହିପରି, ମାସ ଶେଷ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପ୍ରାଥମିକ ସଙ୍କେତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଆଗକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ସେ କହିଛନ୍ତି।
