ଭୁବନେଶ୍ବର : ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ୪ ଜିଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆର୍‌ସି) ରାଜେଶ ପ୍ରଭାକର ପାଟିଲ। ଏନେଇ ସେ ଏହି ୪ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ଚିଠିରେ ଏସ୍‌ଆର୍‌ସି ଉଲ୍ଲେଖ କରିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରୁ ଏକାଧିକ ତଳିଆ ପଞ୍ଚାୟତ ଓ ଗାଁ ଜଳମଗ୍ନ ହୋଇଛି। ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି। ଏହାସହ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ସାମୂହିକ ରୋଷେଇ କେନ୍ଦ୍ର ଓ ଜରୁରୀକାଳୀନ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଜାରି ରହିଛି। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣ ଏବଂ ଜଳବନ୍ଦୀ ଅଞ୍ଚଳରେ ଚାଉଳ ବଣ୍ଟନ ବନ୍ୟା ପରିସ୍ଥିତି
ସୁଧୁରିବା ଓ ବିସ୍ଥାପିତ ପରିବାରଗୁଡ଼ିକ ନିରାପଦରେ ଘରକୁ ଫେରିବା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଜାରି ରଖିବାକୁ କୁହାଯାଇଛି। ପ୍ରଭାବିତ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ରିଲିଫ୍‌ ଚାଉଳର ତୁରନ୍ତ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ କୁହାଯାଇଛି।
ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ଦୈନିକ ୧ କିଲୋଗ୍ରାମ ଏବଂ ୧୨ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ଦୈନିକ ୫୦୦ଗ୍ରାମ ହିସାବରେ ଚାଉଳ ବଣ୍ଟନ କରାଯିବ। ଜିଲାପାଳମାନେ ନିଜନିଜ ଜିଲାରେ ପ୍ରଭାବିତ ଲୋକଙ୍କ ଆନୁମାନିକ ସଂଖ୍ୟା, ସ୍ୱତନ୍ତ୍ର ରିଲିଫ୍‌ କେତେଦିନ ଆବଶ୍ୟକ ହେବ ଏବଂ ମୋଟ କେତେ ଟନ୍‌ ଚାଉଳ ଆବଶ୍ୟକ, ତାହାର ଆକଳନ କରି ଶୀଘ୍ର ଜଣାଇବାକୁ ନିର୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଜିଲାଗୁଡ଼ିକୁ ଚାଉଳ ପଠାଇବାରେ କୌଣସିମତେ ବିଳମ୍ବ ନହୁଏ, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ପ୍ରାଥମିକତା ଭିତ୍ତିରେ ଚାଉଳ ଯୋଗାଇବାକୁ କୁହାଯାଇଛି।